ବାଲିଅନ୍ତା,୨୨।୨(ନି.ପ୍ର): ହଂସପାଳ ସ୍ଥିତ ଗ୍ଲୋବାଲ୍ ଇନ୍ସ୍ଟିଟ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ପକ୍ଷରୁ“ଉଚ୍ଚ ଶିକ୍ଷାରେ ଭାରତୀୟ ଜ୍ଞାନ ପରମ୍ପରାର ସମନ୍ୱୟ” ବିଷୟକ ଏକ ଏକଦିନିଆ ଶିକ୍ଷକ ଉନ୍ନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନର ଅଧ୍ୟାପକମାନେ ଅଂଶଗ୍ରହଣ କରିଥିଲେ। ଏହି ସମନ୍ବୟର ପ୍ରଧାନ ଉଦ୍ଦେଶ୍ୟ ଥିଲା ଜାତୀୟଶିକ୍ଷାନୀତି-୨୦୨୦ଅନୁସାରେ ଉଚ୍ଚ ଶିକ୍ଷାରେ ଭାରତୀୟ ଜ୍ଞାନ ପରମ୍ପରା ର ପ୍ରାସଙ୍ଗିକତା, ଆବଶ୍ୟକତା ଓ ପ୍ରୟୋଗକୁ ଆଲୋଚନା କରିବା। ଭାରତର ପୁରାତନ ଦର୍ଶନ, ବିଜ୍ଞାନ, ଗଣିତ, ଆୟୁର୍ବେଦ, ସାହିତ୍ୟ ଓ ନୀତିମୂଳକ ମୂଲ୍ୟବୋଧକୁ ଆଧୁନିକ ପାଠ୍ୟକ୍ରମ ସହ ସମାନ୍ୱୟ କରିବା ଉପରେ ବିସ୍ତୃତ ଚର୍ଚ୍ଚା ହୋଇଥିଲା। ଅଧ୍ୟାପକମାନେ ମତ ପ୍ରକାଶ କରିଥିଲେ ଯେ, ଭାରତୀୟ ଜ୍ଞାନ ପରମ୍ପରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୀତିଗତ ମୂଲ୍ୟ, ଚିନ୍ତନ ଶକ୍ତି ଓ ସାମାଜିକ ଦାୟିତ୍ୱବୋଧ ବିକାଶ କରିବାରେ ମୂଲ୍ୟବାନ ଭୂମିକା ନିଭାଏ। ଏଥିରେ ପ୍ରମୁଖ ଅତିଥି ଭାବେ କିସ୍ ବିଶ୍ଵବିଦ୍ୟାଳୟ ପ୍ରଫେସର ଡ଼ ଅନିଲ କୁମାର ମିଶ୍ର ଯୋଗଦେଇ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ଭାରତୀୟ ଜ୍ଞାନ ପରମ୍ପରା କେବଳ ଇତିହାସ ନୁହେଁ ଏହା ଆମ ସଂସ୍କୃତି ଓ ଜୀବନ ଦର୍ଶନର ଅଂଶ। ଏହାକୁ ଆଧୁନିକ ଶିକ୍ଷା ପ୍ରଣାଳୀ ସହ ଯୋଡ଼ିଲେ ଶିକ୍ଷା ଅଧିକ ସମଗ୍ର, ମୂଲ୍ୟଭିତ୍ତିକ ଓ ଜାତୀୟ ଚେତନାସମ୍ପନ୍ନ ହେବ। ମୁଖ୍ୟବକ୍ତା ପ୍ରଫେସର ଡ଼ ନରେନ୍ଦ୍ର କିଶୋର ମିଶ୍ର ତାଙ୍କ ବ୍ୟାଖ୍ୟାନରେ ଭାରତୀୟ ଦର୍ଶନ ଓ ଜ୍ଞାନ ପରମ୍ପରାର ଅନୁଶାସନମୂଳକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ଏହାକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ସମ୍ପର୍କରେ ମତ ରଖିଥିଲେ।
ଅନୁଷ୍ଠାନ ସଂଗଠନର ଅଧ୍ୟକ୍ଷା ମମତା ଦାସ ଅତିଥିଙ୍କୁ ସମ୍ମାନିତ କରିଥିଲେ।ଏହି ଅବସରରେ ସଂସ୍ଥାନର ପରିଚାଳନା ପକ୍ଷରୁ ଅତିଥିମାନଙ୍କୁ ସ୍ମୃତିଚିହ୍ନ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଡ଼. ଅନ୍ତର୍ଯ୍ୟାମୀ ସାହୁ ଓ ସୁନନ୍ଦା ସେନାପତି ପରିଚାଳନା କରିଥିଲେ। ସେମାନଙ୍କର ପରିକଳ୍ପନା ଓ ପରିଶ୍ରମରେ ସମଗ୍ର କାର୍ଯ୍ୟକ୍ରମ ସଫଳ ଭାବେ ସମ୍ପନ୍ନ ହୋଇଥିଲା। ଶେଷରେ ପ୍ରଫେସର ବିପୁଲ କୁମାର ଧନ୍ୟବାଦ ଜ୍ଞାପନ କରିଥିଲେ। ସେ କହିଥିଲେ ଯେ ଏହିପରି କାର୍ଯ୍ୟକ୍ରମ ଉଚ୍ଚ ଶିକ୍ଷାର ଗୁଣୋନ୍ନତିରେ ନିଶ୍ଚିତଭାବେ ସାହାଯ୍ୟ କରିବ।ଏହି କାର୍ଯ୍ୟକ୍ରମର ପରିଚାଳନା ସଭ୍ୟ, ଅଧ୍ୟାପକ ଓ କର୍ମଚାରୀମାନଙ୍କର ସକ୍ରିୟ ସହଯୋଗରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା ଏବଂ ଏହା ଶିକ୍ଷା ମଣ୍ଡଳୀରେ ବ୍ୟାପକ ପ୍ରଶଂସା ଲାଭ କରିଛି।
Leave a Reply