ତିନିଦିନ ବିଦ୍ୟାଳୟ ଛୁଟି ସତ୍ତ୍ୱେ ମଧ୍ୟାହ୍ନ ଭୋଜନ କାହାପାଇଁ ?

Spread the love

ଚାନ୍ଦବାଲି (ସ୍ୱ.ପ୍ର.) – ବିଦ୍ୟାଳୟକୁ ଲଗାତାର ତିନିଦିନ ଧରି ବନ୍ଦ ରଖିଥିବା ସତ୍ତ୍ୱେ ମଧ୍ୟାହ୍ନ ଭୋଜନ (ଏମଡିଏମ) ଚାଲିଥିଲା ବୋଲି ରିପୋର୍ଟରେ ଦର୍ଶାଇବା ଘଟଣାକୁ ନେଇ ଚାନ୍ଦବାଲି ବ୍ଲକ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ଅଭିଯୋଗ ଅନୁସାରେ, ଚାନ୍ଦବାଲି ବ୍ଲକ ଚଡଦିଆ ଗ୍ରାମର ସରସ୍ୱତୀ ପୂଜା ଉପଲକ୍ଷେ ଏକ ଯାତ୍ରା ଅନୁଷ୍ଠାନ ଚାଲିଥିଲା। ମାତ୍ର ଯାତ୍ରା କଳାକାରଙ୍କ ରହିବା ପାଇଁ ଚଡଦିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗତ ୯ ତାରିଖ ସୋମବାର ଠାରୁ ୧୧ ତାରିଖ ବୁଧବାର ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ କରାଯାଇଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ବିଦ୍ୟାଳୟରେ ଯାତ୍ରା କଳାକାର ରହିବା କାରଣରୁ ଏହି ସମୟରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯାଉନଥିବା ସତ୍ତ୍ୱେ ବିଦ୍ୟାଳୟ ଛୁଟି ନଥିବା ବୋଲି ପ୍ରଧାନ ଶିକ୍ଷକ ବିଜୟ ଜେନା ଏମଡିଏମ ରିପୋର୍ଟରେ ଦର୍ଶାଇଥିବା କୁହାଯାଉଛି। ଏହା ସହିତ ସେହି ତିନିଦିନ ମଧ୍ୟାହ୍ନ ଭୋଜନ ବଣ୍ଟନ ହୋଇଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ଥିବାରୁ ପ୍ରଶ୍ନ ଉଠୁଛି ଯେ ବିଦ୍ୟାଳୟ ବନ୍ଦ ଥିବାବେଳେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କାହା ପାଇଁ ଏବଂ କାହିଁକି କରିଲେ ପ୍ରଧାନ ଶିକ୍ଷକ। ଯଦି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ନଥିଲେ ତାହେଲେ ଉକ୍ତ ମଧ୍ୟାହ୍ନ ଭୋଜନ ଯାତ୍ରା କଳାକାରଙ୍କ ପାଇଁ ବ୍ୟବସ୍ଥା କରିଥିଲେ କି ପ୍ରଧାନ ଶିକ୍ଷକ। ଯଦି ଏ ସବୁ ନାଁ ତାହେଲେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କଣ ପାଇଁ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ କାହା ଅନୁମତିରେ ବିଦ୍ୟାଳୟ ପ୍ରାଙ୍ଗଣରେ ଯାତ୍ରା କଳାକାରମାନେ ରହିଲେ ଓ କାହା ନିର୍ଦ୍ଦେଶରେ ଲଗାତାର ତିନିଦିନ ପାଇଁ ବିଦ୍ୟାଳୟ ବନ୍ଦ କରାଗଲା ଏବଂ ଏହା ସହିତ ଏମଡିଏମ ରିପୋର୍ଟରେ ଭୋଜନ ବଣ୍ଟନ ଦର୍ଶାଇବା ଘଟଣାକୁ ନେଇ ବିଭିନ୍ନ ମହଲରୁ ନିନ୍ଦା ପ୍ରକାଶ ପାଇଛି। ତେବେ ଏ ସମ୍ପର୍କରେ ବ୍ଲକ ଓ ଜିଲ୍ଲା ଶିକ୍ଷାଧିକାରୀ ତୁରନ୍ତ ତଦନ୍ତ କରି ସତ୍ୟାସତ୍ୟ ଖୋଜିବା ସହିତ ଦୋଷୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକମାନେ ଦାବି କରିଛନ୍ତି


Spread the love

Leave a Reply

Your email address will not be published. Required fields are marked *