ଖୋର୍ଦ୍ଧା ଜଂକିଆ ଥାନା ଅଞ୍ଚଳରେ ପୂର୍ବ ଶତୃତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ଅଭିଯୋଗ
ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଟାଙ୍କୋଳ ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଏକ ମରଣାନ୍ତକ ଆକ୍ରମଣ ଘଟିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ମାଗୁଣୀ ଜେନାଙ୍କ ପରିବାର ସହ ନିରଞ୍ଜନ ପ୍ରଧାନଙ୍କ ପରିବାରର ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ସାମାନ୍ୟ କଥାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହେବା ପରେ ପରିସ୍ଥିତି ଉତ୍ତେଜିତ ହୋଇଥିଲା।
ଅଭିଯୋଗ ଅନୁସାରେ, ନିରଞ୍ଜନ ପ୍ରଧାନ, ମଙ୍ଗୁଳି ପ୍ରଧାନ ଓ ତପନ ପ୍ରଧାନ ସଂଘବଦ୍ଧ ଭାବେ ମାରଣାସ୍ତ୍ର ଧରି ମାଗୁଣୀ ଜେନା ଓ ତାଙ୍କ ପୁଅଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଉଭୟ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲେ।
ଚିକିତ୍ସା ପରେ ମାଗୁଣୀ ଜେନା ଜଂକିଆ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ମାମଲା ରୁଜୁ କରିଛି। ତେବେ ଘଟଣାର ଅନେକ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇନଥିବାରୁ ପୀଡ଼ିତ ପରିବାର ଅସନ୍ତୋଷ ପ୍ରକାଶ କରିଛନ୍ତି।
ପୀଡ଼ିତ ପକ୍ଷର ଅଭିଯୋଗ ଯେ, ଅଭିଯୁକ୍ତମାନେ ଖୋଲାଖୋଲି ଭାବେ ବୁଲୁଥିବା ସହ ପରୋକ୍ଷ ଭାବେ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି। ଏନେଇ ସେମାନେ ପୋଲିସ ପ୍ରଶାସନ ନିକଟରେ ସୁରକ୍ଷା ଏବଂ ତୁରନ୍ତ ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି। = ଖୋର୍ଦ୍ଧା ଜିଲ୍ଲା ରୁ ସୂର୍ଯ୍ୟକାନ୍ତ ଦଳାଇ










Leave a Reply