ଭୁବନେଶ୍ଵର, ୧୭।୪ : ବିଶିଷ୍ଟ ପରିବେଶବିତ, ସାହିତ୍ୟିକ ତଥା ଖୋର୍ଦ୍ଧାର ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଜନ୍ମଦିନରେ ‘ଗଛ ମଣିଷ’ ପୁସ୍ତକ ପକ୍ଷୀଘର ପ୍ରକାଶନୀର ପ୍ରେକ୍ଷାଳୟରେ ଉନ୍ମୋଚିତ ହୋଇଯାଇଛି। ଡ. ଶ୍ରୀଚନ୍ଦନଙ୍କ ଉପରେ ୧୦୦ଜଣ କବି ଲେଖୁଥିବା କବିତା ଏହି ‘ଗଛ ମଣିଷ’ ସଂକଳନରେ ସ୍ଥାନ ପାଇଛି। ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଅଜୟ ସ୍ଵାଇଁ ଯୋଗ ଦେଇ କହିଲେ ଡ. ଶ୍ରୀଚନ୍ଦନ ପ୍ରାଥମିକ ସମୟରେ ଖୋର୍ଦ୍ଧା ନିକଟସୁ କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଥିଲେ । ପରବର୍ତ୍ତୀ ସମୟରେ ସେ ଚାକିରିରୁ ଅବ୍ୟାହତି ନେଇ ରାଜନୀତିରେ ଯୋଗ ଦେଇ ଖୋର୍ଦ୍ଧାର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। କିନ୍ତୁ ସାହିତ୍ୟ ସାଧନା, ସଂସ୍କୃତି ସୁରକ୍ଷା ପ୍ରତି ତାଙ୍କର ରୁଚି ଥିଲେ ମଧ୍ୟ ବୃକ୍ଷରୋପଣ, ଜଙ୍ଗଲ ସୁରକ୍ଷା, ପଶୁପକ୍ଷୀମାନଙ୍କ ସୁରକ୍ଷା ପାଇଁ ବିଶେଷ କାର୍ଯ୍ୟ କରି ରାଜ୍ୟ ତଥା ଭାରତବର୍ଷରୁ ବୃକ୍ଷରୋପଣ ପାଇଁ ‘ଗଛ ମଣିଷ’ ଭାବରେ ବହୁ ସମ୍ମାନ ପାଇଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ‘ଗଛମଣିଷ’ ପୁସ୍ତକରେ କବିମାନେ ତାଙ୍କ ପରିବେଶପ୍ରୀତି ସମ୍ପର୍କରେ କବିତାମାନଙ୍କରେ ସ୍ଥାନ ଦେଇଛନ୍ତି । ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ, ବିଶିଷ୍ଟ କବି ମଙ୍ଗଳା ପ୍ରସାଦ ପ୍ରଧାନ, କବି ଅଶୋକ ପୁହାଣ, ପକ୍ଷୀଘର ମୁଖ୍ୟ ସମ୍ପାଦକ ତଥା ସାହିତ୍ୟିକ ବନୋଜ ତ୍ରିପାଠୀ, ଏହି ପୁସ୍ତକର ସଂକଳକ ସଦାଶିବ ଶ୍ରୀଚନ୍ଦନ, ସମାଜସେବୀ ଦୀପକ ମହାନ୍ତି ତଥା ଡ. ଦିଲୀପ ଶ୍ରୀଚନ୍ଦନ ଉପସ୍ଥିତ ଥିଲେ।
ଏହି ଅବସରରେ ଡ. ଶ୍ରୀଚନ୍ଦନ ତାଙ୍କ ବକ୍ତବ୍ୟରେ କହିଲେ ବୃକ୍ଷରୋପଣ, ଜଙ୍ଗଲ ସୁରକ୍ଷା, ପଶୁପକ୍ଷୀମାନଙ୍କୁ ସୁରକ୍ଷା ଦେଇ ପରିବେଶ ସୁରକ୍ଷା ପାଇଁ ମୁଁ ଛାତ୍ର ଜୀବନରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରିଆସୁଛି । ପରିବେଶ ସୁରକ୍ଷା ମୋର ପେଶା ନୁହେଁ ନିଶା। ତେଣୁ ମୁଁ ବୃକ୍ଷରୋପଣ ପ୍ରତି ନିଜକୁ ସର୍ମର୍ପିତ କରି ଏକ ସ୍ୱତନ୍ତ୍ର ଆନନ୍ଦ ପାଉଛି । ଏହି ଉତ୍ସବରେ ପକ୍ଷୀଘର ପ୍ରତିକାର ସମ୍ପାଦକ ବନୋଜ ତ୍ରିପାଠୀ ଡ. ଶ୍ରୀଚନ୍ଦନଙ୍କ ବୃକ୍ଷରୋପଣ ପ୍ରତି ଆନ୍ତରିକତା ଓ ଜୀବନୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ।















Leave a Reply