ସୁବର୍ଣ୍ଣପୁରର ଗର୍ବ: ଡକ୍ଟର ନିବେଦିତା ରଥଙ୍କୁ ଦ୍ୱିତୀୟ ଥର ପାଇଁ ସମ୍ମାନଜନକ ଡକ୍ଟରେଟ୍ ଉପାଧି

Spread the love

ସୁବର୍ଣ୍ଣପୁର:

ସାମାଜିକ ଓ ପ୍ରଶାସନିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ପ୍ରତିଭା ସମ୍ପନ୍ନ ଯୁବତୀ ଡକ୍ଟର ନିବେଦିତା ରଥଙ୍କୁ ଦ୍ୱିତୀୟ ଥର ପାଇଁ ସମ୍ମାନଜନକ ଡକ୍ଟରେଟ୍ ଉପାଧିରେ ଭୂଷିତ କରାଯାଇଛି। ମାତ୍ର ୩୧ ବର୍ଷ ବୟସରେ ସାମାଜିକ, ପ୍ରଶାସନିକ ଓ ଆନ୍ତର୍ଜାତିକ ସ୍ତରରେ ନିଜର ଅସାଧାରଣ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରି ସେ ସମଗ୍ର ଦେଶ ଓ ଓଡ଼ିଶା ଜାତି ପାଇଁ ଗୌରବ ଆଣିଦେଇଛନ୍ତି।
​ନୂଆଦିଲ୍ଲୀର କନ୍‌ଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆ ଦରବାରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ, ଆଇକନିକ୍ ପିସ୍ ଆୱାର୍ଡ କମିଟି ତରଫରୁ ସାମାଜିକ ଓ ପ୍ରଶାସନିକ କ୍ଷେତ୍ରରେ ତାଙ୍କର ଅଗ୍ରଣୀ ଭୂମିକା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ମାତ୍ର ୩୧ ବର୍ଷ ବୟସରେ ଦିଲ୍ଲୀ ଦରବାରରେ ଓଡ଼ିଶାର ନାମକୁ ଉଜ୍ଜ୍ୱଳ କରି ଏଭଳି ସମ୍ମାନଜନକ ଉପାଧି ହାସଲ କରିବାରେ ଡକ୍ଟର ନିବେଦିତା ରଥ ହେଉଛନ୍ତି ରାଜ୍ୟର ପ୍ରଥମ ଯୁବତୀ।
ଡକ୍ଟର ନିବେଦିତା ରଥ କେବଳ ଜାତୀୟ ସ୍ତରରେ ନୁହେଁ, ବରଂ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଓଡ଼ିଶାର କଳା, ସଂସ୍କୃତି ଏବଂ ସାମାଜିକ ସମସ୍ୟାଗୁଡ଼ିକୁ ନେଇ ନିରନ୍ତର କାର୍ଯ୍ୟ କରି ରାଜ୍ୟ ପାଇଁ ସମ୍ମାନ ସାଉଣ୍ଟି ଚାଲିଛନ୍ତି। ଏତେ କମ୍ ବୟସରେ ପ୍ରଶାସନିକ ଏବଂ ସାମାଜିକ କ୍ଷେତ୍ରରେ ଏଭଳି ସଫଳତା ପାଇବା ଏକ ବିରଳ ଉଦାହରଣ।
​ଏହି ବିରାଟ ସଫଳତା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ ଖୁସିର ଲହରୀ ଖେଳିଯାଇଛି ଏବଂ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଦିଲ୍ଲୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଙ୍କର କର୍ତ୍ତବ୍ୟନିଷ୍ଠା, ସମର୍ପଣ ଓ ସୁନ୍ଦର ବ୍ୟବହାର ସେଠାରେ ଉପସ୍ଥିତ ଥିବା ବିଭିନ୍ନ ମହଲର ମୁଖ୍ୟ ଅତିଥି ଏବଂ ବିଶ୍ୱବିଦ୍ୟାଳୟର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ହୃଦୟ ଜିତିପାରିଥିଲା।
​ଏହି ସଫଳତା ସମ୍ପର୍କରେ ଡକ୍ଟର ନିବେଦିତା ରଥଙ୍କୁ ପଚରାଯିବାରୁ ସେ କହିଛନ୍ତି ଏହି ସଫଳତାର ଯାତ୍ରା ଆଦୌ ସହଜ ନଥିଲା, କିନ୍ତୁ ନିରନ୍ତର ପରିଶ୍ରମ ଓ ନିଷ୍ଠା ଏହାକୁ ସରଳ କରିଦେଲା ସେ ନିଜର ଏହି ସଫଳତାର ସମସ୍ତ ଶ୍ରେୟ ଓଡ଼ିଶାବାସୀଙ୍କୁ ଦେବା ସହ ସମଗ୍ର ରାଜ୍ୟବାସୀଙ୍କ ପ୍ରତି ନିଜର ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି।


Spread the love

Leave a Reply

Your email address will not be published. Required fields are marked *