ସରକାର ବଦଳିଛି, ବଦଳିନି ଢାଞ୍ଚା ଏବେ ବି ବାବୁଙ୍କ ରାଜୁତି, ‌ଟେଣ୍ଡର ଖବର ରହୁନାହାନ୍ତି ମନ୍ତ୍ରୀ

Spread the love

ଭୁବନେଶ୍ବର, ୧୭/୪: ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି। ୨୪ ବର୍ଷର ବିଜେଡି ସରକାର ଗାଦିରୁ ହଟିବା ସହ ବିଜେପି ନେତୃତ୍ବରେ ନୂତନ ସରକାର କ୍ଷମତାକୁ ଆସିଛି। ନୂଆ ସରକାରଙ୍କୁ ଦୁଇ ବର୍ଷ ବିତିବାକୁ ବସିଲାଣି। ମାତ୍ର ଗାଦି ମଡ଼ା ବାବୁମାନଙ୍କର କୌଣସି ପରିବର୍ତ୍ତନ ହୋଇ ନାହିଁ। ସେମାନେ ପୂର୍ବଭଳି ନିଜ ପଦବି ଜାବୁଡ଼ି ଧରିବସିଛନ୍ତି। କିଏ ୩ ବର୍ଷ ତ ଆଉ କିଏ ୫ ବର୍ଷ ହେଲା ଗୋଟିଏ ପଦବି ଓ ଗୋଟିଏ ସ୍ଥାନରେ ରହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବାଧୀନ ବିଜେପି ସରକାରରେ ପ୍ରତି ମାସରେ ମାଳ ମାଳ ଆଇଏଏସ୍‌, ଓଏଏସ୍‌ଙ୍କ ବଦଳି ହେଉଥିଲେ ମଧ୍ୟ କିଛିଜଣ ଅଧିକାରୀ ସେମିତି ଗାଦି ମାଡ଼ି ବସିଛନ୍ତି। ପଦବିରେ କୌଣସି ପରିବର୍ତ୍ତନ ହେଉ ନାହିଁ କି ନୂଆ ଜାଗାକୁ ଯାଉ ନାହାନ୍ତି। ବରଂ ପୂର୍ବଭଳି ସମାନ ବିଭାଗରେ ରହି ନିଜର ପତିଆରା ଜାହିର କରିବା‌ରେ ଲାଗିପଡ଼ିଛନ୍ତି। ଏପରିକି ଉଚ୍ଚଶିକ୍ଷା ବିଭାଗ, ଆଇଟି ବିଭାଗର ଅନେକ ଉଚ୍ଚ ପଦାଧିକାରୀମାନେ ଦୀର୍ଘଦିନ ଧରି ବସି ରହିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବିଜେଡି ସରକାର ସମୟରେ ଦବଦବା ରହିଥିବା ସଚିବମାନଙ୍କର ଏବେ ମଧ୍ୟ ପତିଆରା ରହିଛି। ପରିଣାମ ସ୍ବରୂପ ପୂର୍ବ ସରକାର ସମୟରେ ଯେଉଁଭଳି ଭାବେ ବାହାର ରାଜ୍ୟର କମ୍ପାନିକୁ ଅନୁକମ୍ପା ଦେଖାଯାଉଥିଲା ଏବେ ମଧ୍ୟ ସମାନ ଢଙ୍ଗରେ ଚାଲିଛି। ଉଦାହରଣ ଭାବେ ଆଇଟି ବିଭାଗକୁ ନିଆଯାଇପାରେ। ବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟ କ୍ଲାସରୁମ୍‌ ପ୍ରତିଷ୍ଠା କରିବାକୁ ବିଜେଡି ସରକାର ସମୟରେ ଅହେତୁକ ଅନୁକମ୍ପା ପାଇଥିବା କମ୍ପାନିକୁ ବର୍ତ୍ତମାନ ସହରରେ କାମ ଦେବାକୁ ଚକ୍ରାନ୍ତ ଚାଲିଛି। ରାଜ୍ୟରେ ସରକାର ବଦଳିଥିଲେ ମଧ୍ୟ ସରକାରୀ ବାବୁମାନଙ୍କର ମୋହ କମ୍ପାନି ଉପରୁ ଯାଉ ନାହିଁ। ବାହାର ରାଜ୍ୟରେ ବ୍ଲାକ୍‌ ଲିଷ୍ଟେଡ୍‌ ହୋଇଥିବା କମ୍ପାନି ‘ପ୍ରିଣ୍ଟଲିଙ୍କ୍‌’ ପ୍ରତି ନୂଆ ସରକାରରେ ଥିବା ଅଫିସରଙ୍କର ପ୍ରୀତି ବଢୁଛି। ଚର୍ଚ୍ଚା ହେଉଛି ଯେ ‘ପ୍ରିଣ୍ଟଲିଙ୍କ୍‌’ କମ୍ପାନିକୁ ଆଇଟି ସଚିବ ଖୁଲମ୍‌ଖୁଲା ଅହେତୁକ ଅନୁକମ୍ପା ଦେଖାଉଛନ୍ତି। ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ମଧ୍ୟ ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି। କେବେ କେଉଁ କାମ ପାଇଁ ଟେଣ୍ଡର ହେଲା? କେଉଁମାନେ ଆବେଦନ କରିଥିଲେ? କିଏ କିଏ ଟେଣ୍ଡର ପାଇଲେ? ସେନେଇ ମନ୍ତ୍ରୀମାନେ କୌଣସି ସମୀକ୍ଷା କରୁନାହାନ୍ତି କିମ୍ବା ଗୁରୁତ୍ବ ଦେଉନାହାନ୍ତି। ଏହାଦ୍ବାରା ସବୁ ନିୟମକୁ ଜଳାଞ୍ଜଳି ଦେଇ ବାବୁମାନେ ମନ ଇଚ୍ଛା ନିଜ ପସନ୍ଦର କମ୍ପାନିକୁ କାମ ଦେଇ ପ୍ରଚୁର ଅର୍ଥ ହାତଉଛନ୍ତି। ରାଜ୍ୟରେ ସରକାର ବଦଳିବା ପରେ ଆଶା କରାଯାଉଥିଲା କିଏ ନୂଆ ହେବ। ସରକାରୀ ଢାଞ୍ଚା ବଦଳିବ। ମାତ୍ର ତାହା ହୋଇନାହିଁ। ବରଂ ସେହି ପୁରୁଣା ଢାଞ୍ଚାରେ ପୁରୁଣା ଅଫିସରମାନେ ନିଜର ପତିଆରା ଜାହିର କରୁଛନ୍ତି, ଯାହାକୁ ନେଇ ବୁଦ୍ଧିଜୀବୀମାନେ ଚିନ୍ତାପ୍ରକଟ କରିଛନ୍ତି। ନେଡି ଗୁଡ଼ କହୁଣୀକୁ ବହିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାରେ ହସ୍ତ‌କ୍ଷେପ କରିବା ସହ ଅଧିକାରୀମାନଙ୍କ ଉପରେ କଡ଼ା ନଜର ରଖିବାକୁ ବୁଦ୍ଧିଜୀବୀମାନେ କହିଛନ୍ତି।


Spread the love

Leave a Reply

Your email address will not be published. Required fields are marked *